Unknown

 

 

 

 

 

 

 

 

 

ପ୍ରକୃତି ପେଟିକା

କବିଶେଖର ଚିନ୍ତାମଣି ମହାନ୍ତି

 

ପ୍ରକୃତି ପେଟିକା

 

ବିଦିତ ଖେମଣ୍ଡୀ ରାଜ୍ୟ ପବିତ୍ର ଗଞ୍ଜାମେ,

ସୁରମ୍ୟା ଅମରା ଯଥା ଶୋଭେ ସୁରଧାମେ ।

ଅମରାର ଅଳଙ୍କାର ଯେସନ ଇନ୍ଦ୍ରାଣୀ,

ତେସନ ଦିଗପହଣ୍ଡୀ ତାର ରାଜଧାନୀ ।

ଚୌଦିଗେ ସୁନୀଳଗିରି-ମେଖଳା ସେ ଧରେ,

ଦିବା ସେ କନକଲଙ୍କା ସାଗର ବୃକ୍ଷରେ ।

ଅବା ଶରବଭ୍ର ଶଶୀ, ବିଶ୍ୱ-ବିଦ୍ୟୋତକ,

ଅଥବା ଅନନ୍ତ ଅଙ୍କେ କୌସ୍ତୁଭ ପଦକ ।

ତହିଁରେ ପ୍ରକୃତିରାଣୀ ପ୍ରଶାନ୍ତ ପାବନୀ,

ବସାଇ ଅଛନ୍ତି ବହୁ ଶୋଭାର ବିପଣୀ ।

ମନୋରମା ସେ ସୁଷମା କଳିବ ବା କିଏ,

ଖସି ପଡ଼ିଛିକି ସ୍ୱର୍ଗୁଁ ଦେବକନ୍ୟାଟିଏ ।

ଦେଉଳମାଳିନୀ ସେହୁ ହର୍ମ୍ୟ-କିରୀଟିନୀଂ,

ନଗରୀ- ସୀମନ୍ତ ମଣି ଚିର ଯଶସ୍ୱିନୀ ।

ଜାହ୍ନବୀ ବଂଶୀୟ ନୃପେ ସଦା ସୁପାଳିତ,

ତେଣୁ ସେ ଜାହ୍ନବୀ ସମ ପବିତ୍ର ସ୍ୱଚ୍ଛିତ ।

ଦାନର ମହାତ୍ମା କିଏ କରିବ କଳନୀ,

ସେ ମହତ୍ୱେ ଆନରାଜ୍ୟ ତୁଳନା ଅଲଣା ।

କମଳା ବିଳାସ ସ୍ଥଳୀ ବାଗ୍‌ଦେବୀ ମଣ୍ଡପ,

ପୁଣ୍ୟ ପୂତତୀର୍ଥ, ଏହା ନୁହେଁ ମିଥ୍ୟାଗପ ।

ଦୁର୍ମତିର ମତିପ୍ରାୟ କୁଟିଳ ଗତିରେ,

କହେ ଅଶ୍ୱକୁନ୍ତ୍ରା ନଦୀ ଯାମ୍ୟେତରେ ଧୀରେ ।

କଳ କଳ ଛଳେ ଭବେ ବିଏ ତତ୍ତ୍ୱ ଦୀକ୍ଷା,

ଖେମଣ୍ଡୀ ରାଜ୍ୟର ସେହୁ ନିସର୍ଗ ପରିଖା ।

ସ୍ପର୍ଶମଣି ପ୍ରାୟ ତାର ପାଥହରା ପାଣି,

ଖେମଣ୍ଡି ମୃତ୍ତିକା ତାହାଯୋଗୁଁ ବାରବାନୀ ।

ପଶ୍ଚିମେ ଚାଙ୍ଗୁଡ଼ିଦେଈ ଭୀମ ସାନୁମାନ,

ଚାଙ୍ଗୁଡ଼ିଦେଈଙ୍କ ପ୍ରିୟ ଅଧିଷ୍ଠାନ ସ୍ଥାନ ।

ଇନ୍ଦିବର ନିନ୍ଦୀ ନୀଳ ଦିଶେ ଚାରୁଶିରୀ,

ଦିଶେ ଯଥା ମାରକଳୀ ଚାଙ୍ଗୁଡ଼ି ମେଗିରି ।

ସ୍କନ୍ଦିଶାଳ ଖଣ୍ଡୋଯଳେ ବନ୍ଧୁର ସେ ନଗ,

କରନ୍ତି ମୁଖର ତାକୁ ବିବିଧ ବିହଗ ।

ସୃଷ୍ଟିକାଳୁ ଉପୁଜାଇ ପତନର ଭ୍ରମ,

ଉଭା ସେ ବିଶାଳ ଶିଳା ଉପଗିରି ସମ ।

ଗାଆନ୍ତି ସତତ ଗୀତ ସେ ପର୍ବତେ ଝିଅ,

କଦାଚିତ ରୁକ୍ଷବ୍ୟାଘ୍ର ହୁଅନ୍ତି କୁଣିଆ ।

ଝର ଝରେ ଝରେତହୁଁ କଣ୍ଟେଇ ନିର୍ଝର

ପ୍ରକ୍ଷାଳି ଚାଙ୍ଗୁଡ଼ି ଦେଈ ପର୍ବତ ପୟର ।

ତଳକୁ ସେ ଝର ଆସେ ସ୍ରୋତରୂପେ ବହି,

ଗିରିଟଙ୍କୁ ଓହ୍ଲାଏ କି ରୁଦ୍ରକାୟ ଅହି ।

ରବି ଅସ୍ତକାଳେ ସେହି ଅଚଳ ଶିଖରେ,

ରାହୁରବି ଗ୍ରାସଛବି ସେହୁ ଅନୁକରେ ।

ଧରିଛି ଶରୀରେ ବହୁ ଗୁମ୍ଫା, ଧରାଧର,

ପ୍ରକୃତି ରାଣୀର କିସେ ଗୁପ୍ତ ଗନ୍ତାଘର ।

ଭେଷଜ ପରାଏ କେତେ କେତେ ମହୌଷଧି

ସମ୍ପାଦି ରଖିଛି ଦେହେଁ ନାହିଁ ତା ଅବଧି ।

ଚୂଡ଼େ ଶୋଭେ ଦେବାଳୟ ଦିବ୍ୟ ପୁଣ୍ୟ ପୀଠ,

ପିନ୍ଧିଛିକି ଶିରେ ଚାରୁ ହୀରକ-କିରୀଟ ।

ନିର୍ଜନ ପ୍ରଦେଶ ଯୋଗୀ କବିଙ୍କ ବାଞ୍ଛିତ,

ଲବ କୋଳାହଳ ତହିଁ ନପଶେ କିଞ୍ଚିତ ।

ମହାଶାନ୍ତି ମନ୍ତ୍ର, ତହିଁ ସଦା ବିହ୍ୱଳତା,

ପ୍ରଚାରେ ଭାବୁକ କର୍ଣ୍ଣେ ନୀରବେ ସର୍ବଥା ।

ବୁଡ଼ାଏ ଯୋଗୀଙ୍କ ଯୋଗ-ସାଗରେ ସେ ସ୍ଥାନ,

କବିଙ୍କୁ କରାଏ ଭାବ-ଜଳେ ସଜ୍ଜମାନ ।

ଅତ୍ୟଦ୍ଭୁତ ଅପାର୍ଥିବ ସେ ସ୍ଥାନ ପ୍ରଭାବ,

ଆଣି ମନେ ତତ୍ତ୍ୱଚିନ୍ତା ତଡ଼େ ଦ୍ୱୈଧଭାବ ।

ନିରେଖିଲେ ଅଧୋଦେଶେ ସେ ସ୍ଥାନରେ ଥାଇ,

ତଳ ତରୁ ଅସମାନ ଦେଖାଯାଏ ନାହିଁ ।

ସଙ୍କେତେ କି କରେ ସେହୁ ଏତତ୍ତ୍ୱ ପ୍ରଚାର,

କୀଟୁଁ ବ୍ରହ୍ମଯାଏଁ ଭବେ ସର୍ଦ୍ଧେ ଏକାକାର ।

ଗୁହା ପରେ ଗୁହା ତାହା ପରେ ଗୁହା ପୁଣି,

ଗୁହାମୟ ସେ ପର୍ବତ ସ୍ୱର୍ଗର ନିଶୁଣି ।

ସେ ଗୁହାରେ ପ୍ରବେଶିଣ ବସନ୍ତ ପବନ,

ଉଠାଏ ପୃଥୁଳ କରେ ଶତବଂଶୀ ସ୍ୱନ ।

ଆହା ସେ ମଧୁର ସ୍ୱର ଛଣା ସୁଧାକୀଣା,

ସାରସ୍ୱତ କୁଞ୍ଜେ କିବା ବାଜୁଅଛି ବୀଣା ।

କିମ୍ବା ସେ ଶାଶ୍ୱତ ଗିରି ଶତ ବଦନରେ,

ଗଜପତି ନୃପତିଙ୍କ ଜୟଧ୍ୱନି କରେ ।

ଦେବବାସ ଯୋଗ୍ୟ ଗିରି ଅତୀବ ପବିତ୍ର,

ପବିତ୍ର ଗଞ୍ଜାମେ ଧାମେ ଅନ୍ୟତମତୀର୍ଥ ।

ଧନ୍ୟ ଗଙ୍ଗବଂଶୀ ରାଜା ଖେମଣ୍ଡି-ମଣ୍ଡନ,

ତାଙ୍କ ରାଜ୍ୟେ ସ୍ଥିତ ଏହି ତୀର୍ଥ ସନାତନ ।

ନଥାଇ ପଛକେ ରାଜ୍ୟେ ବିନ୍ଧ୍ୟଗୋବର୍ଦ୍ଧନ

ନଥାଉ ମୈନାକ ଗିରି ଅବା ମେଘାସନ ।

ମାତ୍ର ଅଛି ଯେଉଁକ୍ଷୁଦ୍ର ପର୍ବତ ଖଣ୍ଡକ;

ନିଶ୍ଚେ ତାହା ଖେମଣ୍ଡୀର ଗୌରବ ପଦକ ।

ଶୁଣରେ ଚାଙ୍ଗୁଡ଼ିଗିରି ମୋ ଭବିଷ୍ୟ ବାଣୀ,

ଅବନତି କାଳ ରାତି ପାହି ଆସିଲାଣି ।

ଖେମଣ୍ଡିର ବର୍ତ୍ତମାନ ଯୋଗଜନ୍ମା ରାଜା,

ବାଜୁଛି ଉତ୍କଳେ ଯାଙ୍କ ନାମେ ଉଚ୍ଚେ ବାଜା ।

ଉଇଁଲେଣି ଉନ୍ନତିର ନବରବି ସମ,

କ୍ଷୟ ହୁଏ ଖେମଣ୍ଡିରୁ ଅବନତି ତମଃ ।

ଦେଶବ୍ୟାପୀ ତାହାଙ୍କର ସୁକୀର୍ତ୍ତି ପୌରୁଷ,

ଦାନଜଳେ ଆର୍ଦ୍ରସଦା ଦକ୍ଷିଣ ଗଣ୍ଡୁଷ ।

ବହୁଦେଶାଗତ ବହୁ ସୁକବି ପଣ୍ଡିତ,

ହେଉଛନ୍ତି ନିତ୍ୟ ତାଙ୍କ ରାଜ୍ୟେ ସୁପୂଜିତ ।

ଗାଇବେ ସେମାନେ ତୋର ଗୁଣଗର୍ବ ଗୀତ,

ଧାଇଁବେ ତା’ ଶୁଣି ଜନେ ହୋଇ ହୃଷ୍ଟଚିତ୍ତ ।

ପୂଜିବେ ତୋତେ ରେ ଗିରି ମଣି ତୀର୍ଥସାର,

ପଡ଼ିବ ପ୍ରସିଦ୍ଧ ଗ୍ରନ୍ଥେ ତୋହ ନାମେ ଗାର ।

ବିରାଜେ କେରାଣ୍ଡି ମାଳ ଯାମ୍ୟେ ସ୍ତରେ ସ୍ତରେ,

ତ୍ରିବଳୀ ଚିତା କି ତାହା ଦିଗ ଲଲାଟରେ ।

ପ୍ରାଚୀଦିଗେ ସୁଦ୍ଧା ସେହି ଅଭ୍ରଂକଷ ଗିରି,

ବିସ୍ତାରିଛି ରମଣୀୟ ଭୟଙ୍କର ଶିରୀ ।

ପୌରାଣିକ ପର୍ବତ ସେ ଅମର ନିବାସ

ଅଙ୍କିତ ତାଦେହେଁ କେତେ ବିଶ୍ୱ ଇତିହାସ ।

ପଶୁକ୍ଷତ୍ରି-ମହାବଳ-ଶାର୍ଦ୍ଦୁଳ-ସଙ୍କୁଳ,

ଘନ ବନସ୍ପତି ପୂର୍ଣ୍ଣ ସୁନୀଳ ଚଟୁଳ ।

ଝିଲ୍ଲିଝଙ୍କାରିତ ସଦା ଝର-ଝର୍ଝରିତ,

ବନକବି-ପକ୍ଷିକୁଳ ଗାବନ୍ତି ସଙ୍ଗୀତ ।

ମାଡ଼ିଅଛି ତରୁଶାଖେ ବିବିଧ ବଲ୍ଲରୀ,

ଫୁଟିଅଛି ନାନାଫୁଲ-କାନନ ସୁନ୍ଦରୀ ।

ହେରିଲେ ସେ ଗିରିବନେ ଶାନ୍ତହୁଏ ମନ,

ସତ୍‌ପ୍ରସଙ୍ଗପରାୟଣ ପୁଣି ସତ୍ପବ୍ରଣ ।

ପୁରାଣ-ପ୍ରଥିତ ଏହି ପୂତ ଗିରିବର,

ତତ୍ତ୍ୱଦର୍ଶୀ ନେତ୍ରେ ମହାତତ୍ତ୍ୱର ଆକର ।

ଅଜ୍ଞାନ ମଣଇ ସିନା କେବଳ ପଥର,

ତେଣୁ ହେୟଜ୍ଞାନେ ତାକୁ ନକରେ ଆଦର ।

ନକରୁ ଆଦର ପଛେ ହୀନ ଜ୍ଞାନହତ,

ମାତ୍ର ଯେ ମହତ ସେହୁ ସତତ ମହତ ।

କପିଳେନ୍ଦ୍ର ଦେବ ନାମେ ଉତ୍କଳ ସମ୍ରାଟ,

ବସାଇଲେ ଉତ୍କଳରେ ପୁଣ୍ୟକୀର୍ତ୍ତି ହାଟ ।

ତାହାଙ୍କର ଅଷ୍ଟାଦଶ ପୁତ୍ର–ମଧ୍ୟୁଁଜଣେ,

ବସାଇଲେ ଏଖେମଣ୍ଡୀ ରାଜ୍ୟ ଶୁଭକ୍ଷଣେ ।

ଭାଗୀରଥୀ ବଂଶଧର ସେନୃପ ନନ୍ଦନ,

ଗଜପତି ଆଖ୍ୟାଧରି କଲେ ଭୂ-ପାତନ ।

ଘେନିଯାନ୍ତେ ଯଥାକାଳେ ସେ ଭୂପାଳେ କାଳ,

ଅଭିଷିକ୍ତ ହେଲେ ରାଜ୍ୟେ ତାହାଙ୍କ ଦୁଲାଳ ।

ଏହିକ୍ରମେ କେତେ ଜଣ କଲେ ରାଜପଣ,

ପରେ ରାଜାହେଲେ ବୀର ଲକ୍ଷ୍ମୀନାରାୟଣ ।

ପରମ ପଣ୍ଡିତ ସେହୁ ଗୁଣ-ବିଚକ୍ଷଣ,

ନ୍ୟାୟେ ଧର୍ମେ କଲେ ରାଜ୍ୟ ଶାସନ ପାଳନ ।

ପ୍ରଜାସୁଖ ବିବର୍ଦ୍ଧକ ଦାତା ସଦାଶୟ,

ଖୋଳାଇଲେ ସ୍ଥାନେ ସ୍ଥାନେ ରାଜ୍ୟେ ଜଳାଶୟ ।

ତୋଳାଇଲେ ଚାରୁକାରୁ-ଖଚୀ ଧ୍ୱତବାନ,

ସୁନ୍ଦର ମନ୍ଦିର କେତେ ମନ୍ଦର ସମାନ ।

ବାହାରେ ନୃପତି ସେହୁ, ବ୍ୟବହାରେ ଯତି,

ସତ୍ୟଶୀଳ ବୟାଶୀଳ ଦେବଭକ୍ତ ଅତି ।

ଇଷ୍ଟଦେବ ରାଧାକୃଷ୍ଣ ସେବାରେ ସତତ,

କାୟ ମନୋବାକ୍ୟ ସହ ଥିଲେ ରାଏ ରତ ।

କ୍ଷତ୍ରିୟ-ସୁଲଭ ଶୌର୍ଯ୍ୟ ସତ୍ତ୍ୱେ ସେ ରାଜନ,

କରୁଥିଲେ ମନେ ପ୍ରାଣେ କ୍ଷମା ଆଚରଣ ।

କ୍ଷମାସିନା ଶୂରିତ୍ୱର ପ୍ରଗୌରବ ଭୂଷା,

ପ୍ରାଚୀବିଗ୍‌ଯୋଷାର ଯଥା ଖୋଷା-ଭୂଷା ଭଷା ।

କଲେକ ଅନେକ ସେହୁ ଶାସନ ପ୍ରତିଷ୍ଠା,

ହେବ ତୁଲେ ଦ୍ୱିଜେ ତାଙ୍କ ଥିଲା ଭକ୍ତିନିଷ୍ଠା ।

ନଥିଲେ ସେ ବଡ଼ ଖାଲି କୁଳେ ମାନେଧନେ,

ଥିଲେ ସୁଦ୍ଧା ସେ ମହାତ୍ମା ବଡ଼ଅଭିମନେ ।

ମନର ମହତ୍ୱ ଏକା ପ୍ରକୃତ ମହତ୍ୱ,

ମନସ୍ୱୀ ବ୍ୟତୀତ କିଏ ବୁଝିବ ଏତତ୍ତ୍ୱ ।

ଅଶ୍ୱ ଗାଭୀ ରତ୍ନ ଧନ ବସ୍ତ୍ର ଭୂସମ୍ପତ୍ତି,

ଅକାତରେ କରୁଥିଲେ ଦାନ ସେ ନୃପତି ।

କେବଳ ଦାନରେ ରାଏ କରୁଥିଲେ ତୋଷ,

ଦରିଦ୍ରଙ୍କ ପାଇଁ ମୁକ୍ତ ଥିଲା ରାଜକୋଷ ।

ତାଙ୍କ ଦାନ ଧର୍ମବଳେ ତାଙ୍କ ଅଧିକାରେ,

ରହୁଥିଲେ ନାହିଁ ଦୀନ ଦୁଃଖୀ ଅନାହାରେ ।

ରାଜନୀତି ଆଦି ସର୍ବ ନୀତି ସୁନିପୁଣ,

ଆଶ୍ରିଥିଲେ ତାଙ୍କୁ ଦେବ-ଦୁର୍ଲ୍ଲଭ ସୁଦ୍ଗୁଣ ।

କର୍ମବୀର କର୍ମେ ତାଙ୍କ ନଥିଲା ବିଶ୍ରାମ,

ମାତ୍ର ନଧରନ୍ତି ମନେ ଅଭିମାନ ନାମ ।

କର୍ମକ୍ଷେତ୍ରେ କରୁଥିଲେ ଯେକର୍ମ ସାଧନ,

କରୁଥିଲେ ରାଧାକୃଷ୍ଣେ ତାହା ସମର୍ପଣ ।

କୀର୍ତ୍ତି-କଳ୍ପତରୁ ସେହି ନରବରଙ୍କର,

ବେନିରାଣୀ ଗର୍ଭୁଜାତ ଚାରୋଟି କୁମର ।

ଦିବ୍ୟସିଂହ ଦେବ ତାଙ୍କପ୍ରଥମ ସନ୍ତତି,

ଭୂସ୍ୱର୍ଗ-ନୀଳାଦ୍ରି ଧାମେ ହେଲେ ଛତ୍ରପତି ।

ଦ୍ୱିତୀୟ ଶ୍ରୀରାଧାକୃଷ୍ଣ ସୁନୀତି-ପଣ୍ଡିତ,

ଅକାଳରେ ହେଲେ ଆହା କାଳ କବଳିତ ।

ଶ୍ରୀ ବ୍ରଜକିଶୋର ଦେବ ତୃତୀୟ କୁମର,

ସାନଖେମଣ୍ଡି-ମଣ୍ଡଳେ ହେଲେ ଦଣ୍ଡଧର ।

କନିଷ୍ଠ ଶ୍ରୀ ଗଜପତି କୃପାମୟ ଦେବ,

ନୁହନ୍ତି ସେ ନର,-ନିଶ୍ଚେ କୃପାମୟ ଦେବ

ସମ୍ପ୍ରତି ସେ ପୁଣ୍ୟଶ୍ଳୋକ, ବୃହତଖେମଣ୍ଡି–,

ରାଜସିଂହାସନ ମୁଦେ ଅଛନ୍ତି ବିମଣ୍ଡି ।

ଧର୍ମ-ତୁଳାଦଣ୍ଡ ଧରି ପାଳୁଛନ୍ତି ଧରା,

ବିସ୍ତାରି ଅଛନ୍ତି ରାୟେ ଦାନର ପସରା ।

ଦୟା କ୍ଷମା ପ୍ରୀତି ନଭି ଶାନ୍ତି ସୌଜନ୍ୟାଦି,

ଅଗ୍ରାମ୍ୟ ଭୂଷଣେଛନ୍ତି ଶ୍ରୀଅଙ୍ଗ ଆଚ୍ଛାଦି ।

ସାହିତ୍ୟପ୍ରେମିକ ଯେଣୁ, ତେଣୁ ନିତ୍ୟନିତ୍ୟ

କରୁଛନ୍ତି ଚର୍ଚ୍ଚା ନବ ନବ ସୁସାହିତ୍ୟ ।

ନବୀନ ପ୍ରାଚୀନ ଗ୍ରନ୍ଥ ଆଲୋଚନା ଫଳେ,

ବାମଣ୍ଡା ସମାନ ଦିଗପହଣ୍ଡୀ ଉତ୍କଳେ ।

ସ୍ୱଦେଶୀ ବିଦେଶାଗତ କବି ପଣ୍ଡିତରେ,

ରାଜସଭା ପରିପୂର୍ଣ୍ଣ ଥାଏ ନିରନ୍ତରେ ।

ଗୁଣଗ୍ରାହୀ ନରସାଇଁ ବୀର କୃପାମୟ,

କବି ପଣ୍ଡିତଙ୍କ ସେହୁ ମହତ ଆଶ୍ରୟ ।

ନିତ୍ୟ କେତେ କେତେ ପ୍ରାଜ୍ଞ କବି ଗ୍ରନ୍ଥକାର,

ଲଭନ୍ତି ତାଙ୍କ ଛାମୁରୁ ଯୋଗ୍ୟ ପୁରସ୍କାର ।

କେହି ଲଭେ ପଦ କେହି ଲଭେ ବା ପଦକ,

କେହି ପଟ୍ଟବସ୍ତ୍ର, କେହି କନକ-କଟକ (୧) ।

‘‘ସଙ୍ଗୀତ ମକରନ୍ଦ’’ର ମକରନ୍ଦ ପାନେ,

ଚିହ୍ନିଲି ସେ କଳକଣ୍ଠପିକ କାବ୍ୟୋଦ୍ୟାନେ ।

‘‘ପ୍ରତିଭାବିନୋଦ’’ ଆଖ୍ୟା ସାର୍ଥକ ତାଙ୍କର,

ଗୁରୁଭକ୍ତି ଗୁଣେ ସେହୁ ତାଙ୍କୁ ପଟାନ୍ତର ।

ଧର୍ମ ପାଳନେ ସେ ନୃପ ଧର୍ମ୍ମର ଦାୟାଦ,

କରନ୍ତି ସତତ ଧ୍ୟାନ ଇଷ୍ଟଦେବ ପାଦ ।

ପାଳନ୍ତି ସେ ଯଥାଶାସ୍ତ୍ର ବ୍ରତ ଉପବାସ

ସଂସାରରେ ବାହ୍ୟେଲିପ୍ତ, ଅନ୍ତରେ ଉଦାସ ।

ଅଟେ ସିନା ମହାଜନ ଲକ୍ଷଣ ଏସନ,

ସବୁକରି ନମିଶନ୍ତି କାହିଁ କଦାଚନ ।

ହୋମ ଧୂମେ ଅମୋଦିତ ସତତ ନବର,

ମୁଖର ଉତ୍ସର୍ଗମନ୍ତ୍ରେ ପ୍ରାଙ୍ଗଣ ତାଙ୍କର ।

ଅନାଥ ପାଳନ ତାଙ୍କ ଅନ୍ୟତମ ବ୍ରତ,

ପ୍ରଶଂସ୍ୟ ସେ ବ୍ରତ ଅତି ପବିତ୍ର ମହତ ।

ଅତିଥି ବ୍ରାହ୍ମଣ ସେବା, ତପ, ହୋମ, ଦାନ,

ଏ ସକଳ ତାହାଙ୍କର ଦୈନିକ ବିଧାନ ।

ସଜଇ ଉନ୍ନତି ମୂଳ କୃଷିର ଉନ୍ନତି,

ବୁଝିଛନ୍ତି ଦୃଢ଼େ ଏହା ସେ ବିଜ୍ଞ ନୃପତି ।

ରାଜ୍ୟରେ ଆଦର୍ଶ କ୍ଷେତ୍ର ଅଛି କେତେ ସ୍ଥାନେ,

ଶିଖନ୍ତି ସହଜେ କୃଷିବିଦ୍ୟା ପ୍ରଜାମାନେ ।

ଅନାବୃଷ୍ଟି ଉପଦ୍ରବୁ ଶସ୍ୟରକ୍ଷା ପାଇଁ,

ଖୋଳାଇଲେ ବହୁନଳୀ ରାଜ୍ୟେ ନରସାଇଁ ।

ଅର୍ଥକରୀ ଶ୍ରମଶିଳ୍ପ ଅନ୍ତର୍ବାଣିଜ୍ୟର–

ପ୍ରବୃଦ୍ଧିରେ ଅଛି ତାଙ୍କ ଦୃଷ୍ଟି ନିରନ୍ତର ।

ଶିକ୍ଷାକାର୍ଯ୍ୟେ ମୁକ୍ତହସ୍ତ ଦେବ କୃପାମୟ,

କରୁଛନ୍ତି ଛାତ୍ରବୃତ୍ତି ଦାନେ ବହୁବ୍ୟୟ ।

ସେ ବୃତ୍ତିବଳରେ କେତେ ଦରିଦ୍ର ସନ୍ତାନ,

ହେଉଛନ୍ତି ସୁବିହାନ ମାନ୍ୟ ଧନବାନ ।

ସ୍ୱରାଜ୍ୟରେ ବହୁସ୍ଥାନେ ସ୍ଥାପି ଶିକ୍ଷାଗାର,

କିହ୍ୱାଟିଲେ ପ୍ରଜାଙ୍କର ଉନ୍ନତିର ହାର ।

ପରମ ଗୌରବ ମୟୀ ଦେବଭାଷା ପ୍ରତି,

ଅଛି ତାଙ୍କ ସମାବର ପୁଣି ଆସ୍ଥା ଅତି ।

ରାଜ୍ୟେ ସ୍ଥାପି ଚତୁଷ୍ଠାଠୀ, ସଂସ୍କୃତ ଶିକ୍ଷାର–

ପ୍ରବୃଦ୍ଧିରେ ଅର୍ଥବ୍ୟୟ କରନ୍ତି ଅପାର ।

ସୁନୟନେ ରାଜ୍ୟ ରାୟେ କରନ୍ତି ପାଳନ,

ଘେନିଣ ସୁମନ୍ତ୍ରୀ ମିତ୍ର ପାରିଷଦଗଣ ।

ଆନ ପ୍ରତି ରାଜକାର୍ଯ୍ୟେ ନକରି ନିର୍ଭର,

ତନ୍ନ ତନ୍ନ କରି ସର୍ବ ଦେଖନ୍ତି ନୃବର ।

ବୁଝନ୍ତି ସେ ମୂଳବାନ କିପରି ସମୟ,

ତେଣୁ ନକରନ୍ତି ଲବେ ତାହା ଅପବ୍ୟୟ ।

କୃପାମୟ କୃପାବଳେ ପୁଣି ସୁପାଳନେ,

କ୍ଷେପୁଛନ୍ତି କାଳ ସୁଖେ ମୁଦେ ପ୍ରଜାଗଣେ ।

କ୍ଷତ୍ରିୟ-ସୁଲଭ-ଶୌର୍ଯ୍ୟ ଅତୀବ ପ୍ରଖର,

ମୃଗୟାରେ ଗୁରୁ ସେହୁ ମୃଗୟୁ କୁଳର ।

ଧନୁର୍ବେଦେ ସେହିଏକା ତାଙ୍କରି ସମାନ,

ତଳ ଲକ୍ଷ୍ୟ ଭେଦେ ତାଙ୍କ ଅବ୍ୟର୍ଥ ସନ୍ଧାନ ।

ବହୁ ଭୂ-ସମ୍ପତ୍ତି କରି ବିପ୍ରଗଣେ ଦାନ,

ବସାଇ ଅଛନ୍ତି କେତେ ବ୍ରାହ୍ମଣ ଶାସନ ।

ଭୋଗ ପୂଜା ନିର୍ବ୍ବାହାର୍ଥେ ବହୁ ଦେବଙ୍କର,

ଖଞ୍ଜିଛନ୍ତି ରାୟେ କେତେ କେତେ ଦେବୋତ୍ତର

କରାଇଲେ ରାଜ୍ୟେ କେତେ ଦେଉଳ ନିର୍ମାଣ,

ଜୀର୍ଣ୍ଣ ଦେଉଳର ଯୋଗ୍ୟ ସଂସ୍କାର ସାଧନ ।

ନାନାଭାବେ ସାଧୁଛନ୍ତି ସ୍ୱରାଜ୍ୟ ଉନ୍ନତି ।

ସ୍ୱଦେଶ ବାତ୍ସଲ୍ୟେ ସେହୁ ଆଦର୍ଶ ନୃପତି ।

ତାଙ୍କ ସୁବ୍ୟବସ୍ଥା ଫଳେ ତାଙ୍କ ରାଜଧାନୀ,

ହସୁଅଛି ଦେଖାଇଣ ନବ ଚାରୁଠାଣି ।

ଶ୍ରେଣିବଦ୍ଧ ଭାବେ ଗୃହ ହେବାରୁ ପ୍ରସ୍ତୁତ,

ଗ୍ରାମମାନ ଦିଶେ କେଡ଼େ ସୁନ୍ଦର ସଜ୍ଜିତ ।

ଏସନ ପ୍ରତୀତ ହୁଏ, ସେହି ଜନପଦ,

ବେନିପାଶେ ତଟ ଯଥା ମଧ୍ୟେ ଶୁଷ୍କନଦ ।

ମଧ୍ୟେ ସୁପ୍ରଶସ୍ତ ପଥ ବେନିପାଶେ ଗ୍ରାମ,

ମଧ୍ୟେ ମଧ୍ୟେ ଅଛିକେତେ ଦୃଶ୍ୟ ଅଭିରାମ ।

ସୁଧା-ଶୁଷ୍କ ଦେବାଳୟ ଗର୍ବେ ଉଭାକାହିଁ,

ଉତ୍କଳ ପ୍ରାଚୀନ ଶିଳ୍ପ ବଡ଼ିମା ଦେଖାଇ ।

ସେ ଦେଉଳେ ହେରି ହୁଏ କଳ୍ପନା ଏରୂପ,

ଖେମଣ୍ଡି-ମଣ୍ଡନଙ୍କର କିସେ କୀର୍ତ୍ତିସ୍ତୂପ ।

ଉଡ଼ୁଅଛି ଦେବାଳୟ ଚୂଡ଼େ ଚାରୁବାନା,

ବାଜୁଅଛି ତୁରୀ ଭେରୀ ଆଦି ବାଦ୍ୟନାନା ।

ପ୍ରତି ଦେବାଳୟେ ଏବେ ଦେବକୃପାମୟ,

ଖଞ୍ଜିଛନ୍ତି ଅତିରିକ୍ତ ପୂଜା ଭୋଗଚୟ ।

ପାଇଣ ପ୍ରସାଦ ତହୁଁ ଦୁଃଖୀ ରଙ୍କି ଗଣ,

ଚିରକାଳ ଭୁଲିଛନ୍ତି ଉଦର କଷଣ ।

ପଡ଼େ ଏଥି ନିତ୍ୟ କେତେ ଆଗନ୍ତୁକ ପତ୍ର,

ପ୍ରତି ଦେବାଳୟ ଏକ ଏକ ଅନ୍ନଛତ୍ର ।

ଆପଣେ ବିପଣୀ ଶ୍ରେଣୀ ହୋଇ ସୁସଜ୍ଜିତ

ଲକ୍ଷ୍ମୀ ଗନ୍ତାଘର ପ୍ରାୟ ଦିଶେ ବିଛୁରିତ ।

ଆଲୋକର ସ୍ତମ୍ଭ ପୋତା ପ୍ରତି ଶୃଙ୍ଗାଟକେ,

କାଚ ଦୀପାଧାର ତହିଁ ଉଜ୍ଜ୍ୱଳେ ଝଟକେ ।

ଚକବୀରେ ହୁଏ ସେହୁ ନୟନରବାରୀ,

ଖସି ଆସୁଛିକି ଉର୍ଦ୍ଧ୍ୱୁ ଜ୍ୟୋତିର୍ମ୍ମୟୀ ତାରା ।

କାହିଁ ନୈଶବିଦ୍ୟାଳୟ କାହିଁ ପାଠାଗାର

କାହିଁ ରଙ୍ଗାଳୟ କାହିଁ ପାନ୍ଥାଗାର ବାର ।

ପ୍ରାନ୍ତେ ସ୍ଥିତ ସ୍ୱଚ୍ଛ ନୀରା ପୁଷ୍କରିଣୀଗଣ,

ଶୋଭେ ଯଥା ନଗରୀର ବିଶାଳ ଦର୍ପଣ ।

ସଂସ୍ଥାପିଣ ରାଜଧାନୀ ମଧ୍ୟେ ମୁଦ୍ରା ଯନ୍ତ୍ର,

ଗଞ୍ଜାମେ ପ୍ରଚାରୁଛନ୍ତି ଉନ୍ନତିର ମନ୍ତ୍ର ।

ସେ ଯନ୍ତ୍ରୁ ‘‘ଗୁଖଦର୍ପଣ’’ ହୋଇ ପ୍ରକାଶିତ,

ଘରେ ଘରେ ଗାଇବୁଲେ ଦେଖବାର୍ତ୍ତା ଗୀତ ।

ବଖାଣୁଅଛି ସେ କେତେ ହିତ ଉପଦେଶ,

ଭଜି ହେଉଅଛି ପୁଣି ସଦା ଦେଶ ଦେଶ ।

ଗଞ୍ଜାମର ଏକମାତ୍ର ସେହୁ, ଦେଶଦୂତ,

କର୍ତ୍ତବ୍ୟରୁ କଦାଚିତ ନହୁଏ ବିଚ୍ୟୁତ ।

ସ୍ପଷ୍ଟବାଦୀ ବିଚକ୍ଷଣ ବିଜ୍ଞ ଦୃଢ଼ବ୍ରତ,

ଅକାଳରେ କ୍ଷୁଦ୍ରସିନା ଗୁଣରେ ମହତ ।

ରାଜାଙ୍କର ସୁମନ୍ତ୍ରୀ ସେ ପ୍ରଜାଙ୍କର ମିତ,

ଜୀବନ-ପାଞ୍ଜିରେ ଅଙ୍କା ତାର ପରହିତ ।

ସ୍ୱଦେଶର ସୁଶିକ୍ଷକ ସାହିତ୍ୟ-ରସିକ,

ଉତ୍କଳ-ଜନନୀ କଣ୍ଠେ ସେ କଳାମାଣିକ

ସତ୍ୟଶୀଳ କର୍ମବୀର ଶାନ୍ତ ସଦାଶୟ,

କର୍ମମୟ ଜୀବନଟି ତାର କର୍ମମୟ ।

କି ବର୍ଣ୍ଣିବି ବାହୁଲ୍ୟ ତା ସୁଖ୍ୟାତି ପୌରୁଷ,

ହରିପଦେ ଏ ଭିକ୍ଷା ସେ ଲଭୁ ଦୀର୍ଘାୟୁଷ ।

ଉନ୍ନତିଦାୟିନୀ ନାମେ ଅଛି ଏକ ସଭା,

ଆଶା ଅଛି କାଳେ ସେହୁ ବଢ଼ାଇବ ପ୍ରଭା ।

କରେ ସେ ସମିତି ଦେଶ ଉନ୍ନତି ବିଚାର,

ଶିକ୍ଷାବୃଦ୍ଧି କାଳୋଚିତ ସମାଜ ସଂସ୍କାର ।

ମହାରାଜ କୃପାମୟ ମୋର ଏବିନତି

ସାଧନ୍ତୁ ସେ ସମିତିର ଆଶୁ ସମୁନ୍ନତି ।

କାର୍ଯ୍ୟକରୀଭାବେ ସେହୁ ହେଲେ ସୁଗଠିତ,

ଗାଇବ ସତତ ଆତ୍ମ-ନିର୍ଭରତା ଗୀତ ।

ଦେଖାଇବ ପ୍ରଜାପୁଞ୍ଜେ ବିବିଧ ସୁପଥ,

ଶିଖାଇବ ସର୍ବ୍ବବିଧ୍ୟ ଉନ୍ନତିର ସନ୍ଥ ।

ଅନେକ ପ୍ରାଚୀନଦୃଶ୍ୟ ଖେମଣ୍ଡି ରାଜ୍ୟରେ,

ପ୍ରକୃତି ଭୂଷଣ ପେଡ଼ି ପ୍ରାୟ ଶୋଭାଧରେ ।

ରାଜଦୁର୍ଗ ପଶ୍ଚିମରେ କୁଞ୍ଜରେଖା (୨) ଗିରି,

ଖଣ୍ଡୋପଳ ସ୍ତୂପପ୍ରାୟ ଦିଶେ ତାର ଶିରୀ ।

ସୁବିଶାଳ ସମତଳ ପିଚ୍ଛଳ ପାଷାଣ,

ଗିରି ଉପକଣ୍ଠ ବନେ ଅଛି ଲମ୍ବମାନ ।

ଆସନରୂପେ ସେ ପାନ୍ଥେ କରେ ପରିଚର୍ଯ୍ୟା,

କାନନ-ସୁନ୍ଦରୀଙ୍କର କିସେ ସୁଖ-ଶର୍ଯ୍ୟା ?

ଚଉପାଶେ ଘୋରବନ ମଧ୍ୟେ ଗିରିବର,

ନୀଳନଭେ, ଶୋଭେ ଯଥା ନୀଳନୀରଧର ।

ସେଗିରି ଗରଭେ ଶୋଭେ ହନୁମାନଗୁମ୍ଫା,

ମୁଖ ସାନ ପେଟ ବଡ଼ ଯଥା ମାଟିକୁମ୍ପା ।

ସାନୁମାନେ ହନୁମାନ ଦର୍ଶନ ଆଶ୍ରୟେ,

ଉଠିଲି ସେ ଗିରିପରେ ଆନନ୍ଦେ ନିର୍ଭୟେ ।

ନିମ୍ନଦେଶୁ କ୍ରମଉର୍ଦ୍ଧ୍ୱେ ଉଠିବା କାଳରେ,

ଧରି ଧରି ଉଠୁଥିଲି ପାଦପ ନିକରେ ।

ଆଗନ୍ତୁକ ଜାଣି ମୋତେ ଧରିମୋର ହାତ,

ଶିଷ୍ଟାଚାରେ ପାଛୋଟି ବା ନେଲେ ତରୁବ୍ରାତ ।

ଧନ୍ୟ ତାଙ୍କ ହୃଦଅତି ପବିତ୍ର ମହତ,

ଧରିଛନ୍ତି ଦୃଢ଼େ ସଦା ପ୍ରାଣୀହତ ବ୍ରତ ।

ଯାଉଛି ନିବିଡ଼େ କେତେ ଶୈବାଳ ବଲ୍ଲରୀ,

ଶୋଭେ ତାହା ଅଚଳର ଲୋମକେଶ ପରି ।

ହସୁଛନ୍ତି ବୃନ୍ତେ ବସି କେତେ ଫୁଲ୍ଲ-ଫୁଲ,

ପରକାଶି ଋଷିମୋହୀ ସୁଷମା ଅତୁଳ ।

ବୃକ୍ଷବୃକ୍ଷାନ୍ତରେ ଲମ୍ବି ମଖମଲକୁଆଁ (୩)

ସ୍ମୃତିଅଛି ଠାବେ ଠାବେ ନିସର୍ଗ ଚାନ୍ଦୁଆ ।

ଇଟଳା ଗୁଳ୍ମ-ଗଣିକା ପ୍ରକାଶିଛି ପ୍ରଭା,

ଶୋଭାରାଣୀ ରଚିଛନ୍ତି ତହିଁକେଳି ସଭା ।

ହେରିଲେ ସେ ଶୋଭାହେବ ମୂକ ବାବଦୁକ,

ସନ୍ତରିବ ପ୍ରେମ-ଜଳେ ପ୍ରେମିକ ଭାବୁକ ।

ବିବିଧ ସୁକଣ୍ଠ ପକ୍ଷୀ ସ୍ୱର ନିତି ନିତି,

ବଳେ ବଳେ ହୁଏ ତହିଁ ଶ୍ରବଣ-ଅତିଥି ।

ଦେଖି ଦେଖି ନାନାଶୋଭା ହେଲି ଅଗ୍ରସର,

ରୁକ୍ଷ କଣ୍ଟକିତ ମାର୍ଗେ କର୍କରା ଜର୍ଜର ।

ଧର୍ମପଥେ ବିଘ୍ନପ୍ରାୟ କେତେ ଖଣ୍ଡ ଶିଳା,

ଗମନ ପଥରେ ମୋର ହେଲେ ବଜ୍ରକିଳା ।

ବହୁକଷ୍ଟେ ଗୁମ୍ଫାଦ୍ୱାରେ ପ୍ରବେଶିଲି ଯାଇ,

ମାତ୍ର କିଛି ବାଟଚଲା ଅବସାଦ ନାହିଁ ।

ଉତ୍କଣ୍ଠା ହୃଦୟ ରାଜ୍ୟ କଲେ ଅଧିକାର,

ବାଧେକି କାହାକୁ କେବେ ପଥକ୍ଳେଶଛାର ।

ଅତି ଅପ୍ରଶସ୍ତ ପଥ ଅନ୍ଧକାର ବସା,

ପଶିବାକୁ କେହି ତହିଁ ନକରେ ଭରସା ।

ଦୀଦୃକ୍ଷାର ପ୍ରରୋଚନେ ନିର୍ଭୀକ ମନରେ,

ପଶିଲି ମୁଁ ସେ ବିକଟସଂକଟ ଗହ୍ୱରେ ।

ଚିରଦୀପ୍ତ ଧାମୁ ଆସି ଜୀବାତ୍ମା ଯେଭୂପେ,

ପ୍ରାକ୍ତନ ନିୟମେ ପଶେ ଭବ-ଅନ୍ଧକୂପେ ।

ଉର୍ଦ୍ଧ୍ୱେ ମହାଶୈଳ, ବେନି ପାର୍ଶ୍ୱେ ଶିଳାକାନ୍ଥ

ଅଣ୍ଡାଳି ଅଣ୍ଡାଳି ଗଲି ନୋହି ପଥଭ୍ରାନ୍ତ ।

ମନେ ମନେ ଭାବିଲି ମୁଁ ଅଟେ କେଡ଼େବୀର,

ଗିରି-ଗୁରୁଭାଇ ଅହୋ ସହିଲା ମୋଶିର ।

କେତେକ୍ଷଣେ ଅତିକ୍ରମି ଅନ୍ଧକାର ସ୍ଥଳୀ,

ଅଲୋକେ ଦେଖିଲି ଅତ୍ତୋ ପାବଚ୍ଛ ଆବଳି ।

ଆରୋହଣ ସେ ପାବଚ୍ଛେ ଉଠିଲି ଉପରେ,

ଦେଖିଲି ପ୍ରଶସ୍ତ କ୍ଷେତ୍ର ଦୀପ୍ତ ଆଲୋକରେ ।

ଗିରି ଦେବତାଙ୍କ କିସେ ବେହରଣ ମେଲା,

ତା’ ଦର୍ଶନେ ଏକଳ୍ପନା ମନେ ଜାତ ହେଲା ।

ଅବା ଗିରି-ମନ୍ଦିରର ପୂତ ମଖଶାଳା,

ଅଙ୍କିତ ତା’ଦେହେ କେତେ ମେହେରାବିମାଳା

ଖସିଆସ ଗିରିଶିଖୁ ଶିଳା ଭୀମକାୟ,

ହୋଇଛି ସେ ମଖଶାଳା ଚଳଛବି (୪) ପ୍ରାୟ

ପାର୍ଶ୍ୱ ଭାଗେ ଅଛି ତାର କ୍ଷୁଦ୍ର ଏକଦ୍ୱାର,

ତହିଁ ପଛେ ଗୁମ୍ଫାରମ୍ୟ ଅଟ୍ଟାଳି ପ୍ରକାର ।

ବାହାରିଛି ଦେହୁଁତାର ଉପଗୁମ୍ଫା ଏକ,

ଝୁଲୁଛନ୍ତି ତମପ୍ରିୟ ଚିମଣୀ ଅନେକ ।

ଅତିଥି ସତ୍କାର ତାଙ୍କ ବଚନକୁ ବଳେ,

ପକ୍ଷବାତେ ବିଞ୍ଚନ୍ତି ସେ ଶ୍ରାନ୍ତ ପାନ୍ଥବଳେ ।

ସେ ଗୁମ୍ଫା ମଧ୍ୟରେ ଅଛି ଗମ୍ଭୀର-ଗହ୍ୱର,

ଉରା ତହିଁ ହନୁମାନ ମହା କପିବର ।

ବେନିକରେ ଶୋଭେ ତାଙ୍କ ବେନି ସାନୁମାନ,

ବୀର ଭଙ୍ଗିରେ ସେ ଉଭା ବହିଣ ଗୁମାନ ।

ଦିବ୍ୟହିଙ୍ଗୁଳିତ ମୂର୍ତ୍ତି ପବିତ୍ର ପ୍ରଶାନ୍ତ,

ଦର୍ଶନ ମାତ୍ରକେ ହୁଏ ହୃଦେ ଭ୍ରାନ୍ତିଜାତ ।

ପାର୍ଶ୍ୱଭାଗେ ବିରାଜନ୍ତି ଲକ୍ଷ୍ମୀ ନାରାୟଣ,

ମଧୁର ମୋହନ ମୂର୍ତ୍ତି ନୟନ ରଞ୍ଜନ ।

ସେ ଗୁମ୍ଫାର ଉର୍ଦ୍ଧ୍ୱତଳ ନୀଚ, ପଡ଼ାଣିଆ,

ଉପାୟ ନାହିଁ ତା ମଧ୍ୟେ ହୋଇବାକୁଠିଆ ।

ବସି ବସି ପ୍ରବେଶିଲି ଗହ୍ୱର ଭିତରେ,

ପ୍ରଣମିଲି ତ୍ରିଦେବତା ପଙ୍କଜ ପଚାରେ ।

ପୂର୍ଣ୍ଣ ସେ ଗହ୍ୱର ପୂତ ଧୂପ ପୂତ ଗନେ,

ପୂରାଏ ଅନ୍ତର ସେହୁ ଅପୂର୍ବ ଆନନ୍ଦେ ।

ଘୁଞ୍ଚାଇ ଦେଇ ସେ ମନୁ ପାର୍ଥିବ ବିକାର,

ଅବିଳମ୍ବେ କରେ ତାକୁ ଶାନ୍ତି ସୁଖାଗାର ।

ତା’ଦର୍ଶନେ ମହାଭାବ ହୁଏ ଅଭ୍ୟୁଦୟ,

ଖେମଣ୍ଡି ରାଜ୍ୟର ସେହୁ ଭୂସ୍ୱର୍ଗ ନିଶ୍ଚୟ ।

ଥାଏ ଯହିଁ ଚିରଶାନ୍ତି ଚିର ପବିତ୍ରତା

ସେହି ତ ସାକ୍ଷାତ ସ୍ୱର୍ଗ ଅଟଇ ସର୍ବଥା ।

ଗିରିଭାଲେ ଅକ୍ଷର ମୁଁ ଅଙ୍କିଛି ଅଙ୍ଗାରେ,

ନିଭିଯିବ ଅଇଦିନେ କାକର ବର୍ଷାରେ ।

ମାତ୍ର ଯା’ ଅଙ୍କିଲା ଗିରି ମୋଦ ହୃଦପଟେ,

ରହିବ ତା’ ଯେତେଦିନ ପ୍ରାଣଥିବ ଘଟେ ।

ଯଥାକାଳେ ଫେରିଲି ସେ ଗିରିଶୋଭାହେରି,

ମାତ୍ର ମନ ନେତ୍ର ବେନି ନଆସିଲେ ଫେରି ।

ଦକ୍ଷିଣ ପଶ୍ଚିମ କୋଣେ ବିଜୟ ନଗର,

ପୂର୍ବ୍ବ ରାଜଧାନୀ ସେହୁ ଖେମଣ୍ଡି ରାଜ୍ୟର ।

ଅଟବି-ଶ୍ୟାମଳା ପୁଣି ଅଚଳ-କୁନ୍ତଳା,

ସୌଭାଗ୍ୟ ସମ୍ପଦେ ପୂର୍ବ୍ବେ ଥିଲା ସେ ପ୍ରବଳା ।

ଏବେ ତାହା ଭାଗ୍ୟ-ଲକ୍ଷ୍ମୀ ଭାସି କାଳ-ନୀରେ,

ନେଇଛନ୍ତି ଅଶ୍ରା ଯାଇ ଦିଗପହଣ୍ଡିରେ (୫) ।

ଶୋଭାରେ ସେ ଗ୍ରାମ ଥିଲା ଅଳକା ସଙ୍କାଶ,

ହୋଇଅଛି ଏବେ ବ୍ୟାଘ୍ର ଭଲ୍ଲୁକର ବାସ ।

ସେକାଳେ ସେ ଥିଲା ସିନା ବିଜୟ ନଗର,

ମାତ୍ର ଏବେ ହୋଇଅଛି ବିଜନ ନଗର ।

ରାଜଦୁର୍ଗ ଭଗ୍ନ ଭିତ୍ତି ରହି ବିଦ୍ୟମାନ,

ଦେଖାଏ ପ୍ରତ୍ୟେକ୍ଷେ ଭାଗ୍ୟ ପର୍ଯ୍ୟାୟ ପ୍ରମାଣ ।

ଝଳୁଥିଲା ଯେଉଁଦ୍ୱାରେ ରତନର ଝାଲି,

ଛନ୍ଦିଛି ସେ ଦ୍ୱାରେ ଏବେ ଉର୍ଣ୍ଣନାଭ ଜାଲି ।

ସେ ସ୍ଥାନ କୃତ୍ରିମଶୋଭା ଯାଇଅଛି ସରି,

ଅଛି ଏବେ ନୈସର୍ଗିକ ମାଧୁରୀ ଆବୋରି ।

ପୂର୍ବ୍ବେ ଉଠୁଥିଲା ତହୁଁ ଗୀତ ବାଦ୍ୟସ୍ୱର

ଏବେ ବନକବି-ପକ୍ଷୀ ରବରେ ମୁଖର ।

ରାଜପଥ ହୋଇଅଛି କଣ୍ଟକେ ଦୁର୍ଗମ,

ଭଗ୍ନ ଭିର୍ତ୍ତି ଖଣ୍ଡେ ତାହା ବିକଟ ବିଷମ ।

ଦେବଶୂନ୍ୟ ଦେବାଳୟ ହୋଇଅଛି ହେୟ ।

ଜନଶୂନ୍ୟ ଗୃହ ଯଥା ଜୀବଶୂନ୍ୟ ଦେହ ।

ଦିବ୍ୟଛବିମୟ ସେହି ଛବିଳ ଦେଉଳ,

ହୋଇଛି ପାଷାଣ ଭେଦୀ ଶୈବାଳସଙ୍କୁଳ ।

ଏକାଳେ ସେ ଚିମଣୀଙ୍କ ଚିରପ୍ରିୟବାସ,

ଆଚ୍ଛାଦିଛି ସିଂହାସନ ଘନେ ମାଡ଼ି ଘାସ ।

ରୁଚିର ବିଳାସଗୃହ ନତକରି ମଥା,

ଶିଖାଏ ନୀରବେ ପାନ୍ଥେ ରବଭଙ୍ଗୁରତା ।

ଭଗ୍ନଭିତ୍ତି ସୂକ୍ଷ୍ମଶିଳ୍ପ ବିସ୍ମୃୟୋତ୍ପଦକ,

ହେରିଲେ ତା’ ନରନେତ୍ର ହେବ ଅପଲକ ।

ଉତ୍କଳଦେଶର ପୂର୍ବ୍ବ ଶିଳ୍ପ ଗୌରବର,

ମୂକସାକ୍ଷୀ ସମ ଆହା ସେ ଶିଳ୍ପ ନିକର ।

ପ୍ରକାଶଇ କିମ୍ବଦନ୍ତୀ ଚୌଦ୍ୱାର ଶୋଭିତ–

ପ୍ରସ୍ତର ପ୍ରାଚୀରେ ଥିଲା ନୃବର ବେଷ୍ଟିତ ।

ଦିଶୁନାହିଁ ଏବେକାହିଁ ସେ ପ୍ରାକାର ଚିହ୍ନ,

କେଉଁକାଳୁ ହେଲାଣି ସେ କାଳଗର୍ଭେ ଲୀନ ।

ପ୍ରାଚୀର ଚୌପାଶେ ରାଜେ ବୃତ୍ତାକାରେ ଜଳୀ,

ନେଉଥିଲା ନାହିଁ ପୂର୍ବ୍ବେ ଜଳ ତାର ବଳୀ

ଏକାଳେ ସେ ଆସୁଅଛି ପୋତିହୋଇ କ୍ରମେ,

ସୁରମ୍ୟ ପାବଚ୍ଛ ଏବେ ପଙ୍କିତ କର୍ଦ୍ଦମେ ।

ନିର୍ମଳ ସୁନୀଳ ନୀଚେ ପୂର୍ଣ୍ଣ ବକ୍ଷ ତାର,

ରାଜ ଦୁର୍ଗ କଣ୍ଠେ କିସେ ଇନ୍ଦ୍ରନୀଳ ହାର ।

ତହିଁପାଶେ କିଚକର ଘନ ମଞ୍ଜୁ କୁଞ୍ଜ,

ଓହଳିଛି ତହିଁ ବାୟା ବସା ପୁଞ୍ଜ ପୁଞ୍ଜ ।

ଲତାଗହଳେ ସେ କୁଞ୍ଜ ନିରନ୍ଦ୍ର ରୁଚିର,

ନପାରିବ ଭେଦିତ କୁ କ୍ଷୁର ଧାର ତୀର ।

ରହି ସେ ଦୁର୍ଭେଦଂ ଲୌହ ପ୍ରାକାର ସମାନ,

କରୁଥିଲା ଦିଚୂର୍ଣ୍ଣିତ ଶତ୍ରୁର ସୁମାନ ।

ତା’ ଯୋଗୁ ଅଜେୟ ହୋଇ ବିଜୟ ନଗର,

ରଖିଥିଲା ଅକ୍ଷୂର୍ଣ୍ଣ ସେ ଗୌରବ ନିଜର ।

ଉତ୍ତର ପଶ୍ଚିମବ୍ୟାପି ବହେ ଅଶ୍ୱକୁଳ୍ପା ।

ପୂତ ପୟସ୍ୱିନୀ ଧନୀ ଗୁଣରେ ଅତୁଳ୍ପା ।

ପିୟୁଷପ୍ରତିମ ତାର ନିର୍ମଳ ଜୀବନ,

କୃପାମୟ ରାଜ୍ୟେ କିସେ କୃପା ପ୍ରସ୍ରବଣଂ ।

ରଜତର ଦ୍ରବଧାରା ଉପମା ସେ ଧରେ,

କିମ୍ବା ମଲ୍ଲିମାଳା ସେହୁ ଖେମଣ୍ଡି ବକ୍ଷଭେ ।

ଅବା କୃପାମୟଙ୍କର ଶୁଭ୍ର, ଯଶୋରାଶି,

ବହେ ନଦୀରୂପେ ଦିବ୍ୟ ଶୋଭା ପରକାଶି ।

ବେନିତୀରେ ଶସ୍ୟକ୍ଷେତ୍ର କ୍ଷୁଦ୍ର କ୍ଷୁଦ୍ର ବନ,

ନିସର୍ଗ ଶୋଭାରେ ହରେ ଦର୍ଶକ ନୟନ ।

କାଳଠାରୁ ବଳି ଆଉ ନାହିଁ ମହାବଳୀ,

ଗ୍ରାସଇ ସେ ଲୌହେ ଯଥା ସୁପକ୍ୱ କବଳୀ ।

ଅନୁକୂଳେ କରେକାଳ ସକଳ ସୃଜନ,

ପ୍ରତିକୂଳେ କରେ ପୁଣି ତାହାକୁ ଭୋଜନ ।

କାଳର ଏଲୀଳା କିଏ କରିବ କଳନ,

‘‘କାଳସ୍ୟ କୁଟିଳା ଗତି’’ ସାର୍ଥ ଏବଚନ ।

ସେ ସ୍ଥାନୁ ଦୂରସ୍ଥ ଗିରିମାନେ ଦେଲେଚାହିଁ,

ସହଜରେ ଦୃଷ୍ଟିରେଖା ତହୁଁ ଫେରେନାହିଁ ।

ଯେ ଦିଗେ ଚାହିଁଲେ ଦିଶେଁ ନୀଳଗିରିମାଳ

ତୋଳିଛନ୍ତି ତୁଙ୍ଗଗିରି ଭେଦି ଚକ୍ରବାଳ ।

ଧବଳ କୁଞ୍ଚିତ ଘନେ ଶୋହେ ସାନୁଦେଶ,

କିବା ସେ ସ୍ଥବୀର ଗିରି ଶିରେ ପକ୍ୱକେଶ ।

ଅଦୂରେ ଶିଖରୀ-ଶିଖେ ଦିଶଇ ରୁଚିର,

ଶ୍ରୀ ଉଜ୍ୱଳେଶ୍ୱରଙ୍କର ଧବଳ ଯବର ।

ମହାପ୍ରତାପି ସେ ଶିବ ବାଞ୍ଛାବରଦାତା,

ରକତବତ୍ସଳ ପ୍ରଭୁ ପାପୀ ପରିତ୍ରାତା ।

ଦୂରଦୂରାନ୍ତରୁ ନିତି ଆସି ରୋଗୀଗଣେ,

ଧାରଣା ପଡ଼ନ୍ତି ତାଙ୍କ ପୂତ ଆୟତନେ ।

ବିଜୟ ନଗର ପୂର୍ବ୍ବେ ଗୌରବ କିଞ୍ଚିତ,

ହୋଇଅଛି ସେ ଶିବଙ୍କ ସକାଶୁ ରକ୍ଷିତ ।

ଏହିପରି କେତେ ଦୃଶ୍ୟ, ବୃହତଖେମଣ୍ଡି–

ସୁବିଶାଳ କଳେବରେ ଅଛନ୍ତି ବିମଣ୍ଡି ।

ବର୍ଣ୍ଣିଲେ ତା’ ବଢ଼ିଯିବ ପୁସ୍ତକ ଆକାରେ,

ତେଣୁ ଜଳାଞ୍ଜଳୀଦେଲି ଦୁଃଖେ ସେ ଆଶାରେ ।

କୃପାମୟ-କୃପାମୟ ହେ ଖେମଣ୍ଡି ପତି,

ଘେନାହେଉ ଛାମୁରେ ମୋ ବିନତି ପ୍ରଣତି ।

ଦେଶୋନ୍ନତି ସର୍ବ୍ବକାର୍ଯ୍ୟେ ପକାଇଛ ହାତ,

ସାମାନ୍ୟ ଗୌରବ କଥା ନୁହଇ ଏହା’ତ ।

ଜାତିହିତେ ଅଛି ସଦା ପୂର୍ଣ୍ଣ ଅନୁକୂଲ୍ୟ,

ସୁକୀର୍ତ୍ତି ସଦ୍ଗୁଣ ତବ ଅତୁଲ୍ୟ ଅମୂଲ୍ୟ ।

ଉତ୍କଳର ଆଂଶାକାଶେ ଶଶାଙ୍କ ପ୍ରକାର–

ଉଇଁଅଛ ହର ଖରେ ଅଜ୍ଞାନ-ଅନ୍ଧାର ।

ଅତି ଦୀନା ହୀନା ଏବେ ଉତ୍କଳଜନନୀ,

ଦୁଃଖ-ଦୁଷ୍ଟ ରକ୍ତଧାରେ ପୂର୍ଣ୍ଣତା ଧମନୀ ।

ରୋଗ, ପୀଡା, ଅବଗ୍ରହ, ଅକାଳମରଣଂ–

ଆକ୍ରମଣ କୁଞ୍ଜୁଅଛି ଅପରେ କଷଣ ।

ବାରମ୍ବାର ଦୁର୍ଭିକ୍ଷର କଠୋର ଶାସନେ,

ଶୋଇଅଛି ଅଭାଗିନୀ ଶୋକେ ଅଚେତନେ ।

ନୈରାଶ୍ୟେ ଆଳସ୍ୟେ ତନୁ ହୋଇଛି ଅସାତ,

ତେଦିଛି ଜଡ଼ତା ତାର ଚର୍ମୁ ମାଂସ ହାଡ଼ ।

ଲୋକ ନେତ୍ରେ ବିଘ୍ନ ଶିଳା ଅତୀବ ଅସାର,

ତା ନାମେ ଉନ୍ନତି ଗ୍ରନ୍ଥେ ପଡ଼ିନାହିଁ ଗାର ।

ଦିବା ଶିକ୍ଷା କି ପ୍ରାଧାନ୍ୟ ସଭ୍ୟତା ଏକତା,

ସକଳ ବିଷୟେ ସେହୁ ପୋତିଅଛି ମଥା ।

କୃଷି ବାଣିଜ୍ୟରେ ସୁଦ୍ଧା ଏବେ ହୀନବତା,

ପାସୋରି ଆସୁଛି କ୍ରମେ ଚାରୁ ଚିତ୍ରକତା ।

ସମାଜରେ ଘୃଣରୂପେ ପଶି କୁସଂସ୍କାର,

କରିଦେଇଅଛି ରୁଦ୍ଧ ଉନ୍ନତିର ହାର ।

ଚାହିଁଛି ଉତ୍କଳମାତା ସକଳ ନେତ୍ରରେ,

କଷଣ ଫେଡ଼ିବ ବୋଲି ତୁମ୍ଭେ ତାର ଖରେ ।

ଅଟ ତୁମ୍ଭେ ତ ତାଙ୍କର ଯେ ଗୌତମ ପୁଅ

ପୋଛିଦିଅ ନୃପଶଶି ଜନନୀର ଲୁହ ।

କରୁଅଛି ବହୁକାର୍ଯ୍ୟ କର୍ତ୍ତବ୍ୟ-ରସିକ,

ତଥାପି କହୁଛି କର ଆହୁରି ଅଧିକ ।

ଦେଲେହେଁ ଚାତକେ ବହୁ ଜଳ ଜଳଧର,

ନମାଗେ କି’ ଅଧିକ ସେ କରି ଉଚ୍ଚସ୍ୱର ?

ଶିକ୍ଷାସିନା ମୂଳଭିତ୍ତି ସର୍ବ୍ବ ଉନ୍ନତିର,

ନାହିଁତ ଅଜଣା ଏହା ତୁମ୍ଭର ହେ ବୀର !

ଉନ୍ନତି ସେ ଭିତ୍ତିପରେ ପ୍ରତିଷ୍ଠିତ ହେଲେ,

ହସ୍ତପଦ ପ୍ରସାରିଣ ଖେଳେ ଅବହେଳେ ।

ଶିକ୍ଷାକାର୍ଯ୍ୟେ କରୁଅଛ ତୁମ୍ଭେ ବହୁବ୍ୟୟ ।

ଆହୁରି ଅଧିକ କଲ ଦେବ କୃପାମୟ ।

ଘେନୁଛି ବିଦାୟ ଏବେ ଘେନ ମୋ ବିନତି,

ଅନ୍ତରର କୃତଜ୍ଞତା ବିନତି-ଭକତି ।

ଭାଗ୍ୟ ହୋଇଥିଲେ ମୋର ମନ ଅନୁକୂଳ,

ଦେଖିଥାନ୍ତି ତବରାଜ୍ୟେ ଭ୍ରମି ତୀର୍ଥକୁଳ ।

ସେ ସୌଭାଗ୍ୟ ଆଶାସିନା କଳ୍ପନା-ଜଳ୍ପନା,

ମାଗୁଛି ବିଦାୟ ଏବେ ଘେନନ୍ତୁ ବନ୍ଦନା ।

 

(୧) ବଳୟ ବା କଙ୍କଣ । (୨) ସ୍ୱନାମ ପ୍ରସିଦ୍ଧ ପର୍ବତ । (୩) ଡଙ୍କ ।

(୪) ଚାଳ । (୫) ବର୍ତ୍ତମାନ ରାଜଧାନୀ ।

Image